Trending
Sunday , May 19 , 2024

ତାରା ବାହିନୀପତି ଙ୍କ ଗତି କୁଆଡେ଼, କଣ ଚାହୁଁଛନ୍ତି ତାରା ପ୍ରସାଦ

* ମୁଖ୍ୟମନ୍ତ୍ରୀଙ୍କ ଆଗରେ ସରକାରଙ୍କୁ ଏମିତି ଟେକିଲେ ଯେ, ବିଜେଡି ନେତା ବି ଫେଲ୍ ମାରିବେ

* ତାରା ଙ୍କ ଉଚ୍ଚାରଣ ଆଉ ଆଚରଣ କୁ ନେଇ ସନ୍ଦେହରେ ରାଜ୍ୟ କଂଗ୍ରେସ

* ଦେହ କହୁଛି କଂଗ୍ରେସରେ ରୁହ, କିନ୍ତୁ ମନ କହୁଛି ବିଜେଡ଼ି କୁ ଯାଅ


        ଓଡିଶାରେ ଗୋଟିଏ ନାଟକ ଦିନେ ଚହଳ ସୃଷ୍ଟି କରିଥିଲା, ନାଁ ଥିଲା ମନ କଲିକତା ଦେହ ଓଡ଼ିଶା। ଆଉ ଏବେ ତାରା ପ୍ରସାଦ ବାହିନୀପତି ଯେଉଁ ନାଟକରେ ଅଭିନୟ କରୁଛନ୍ତି , ତାହାର ନାଁ ହେଉଛି, ଦେହ କଂଗ୍ରେସ କୁ ମନ ବିଜେଡ଼ି। ସେଇ ନାଟକର ସେ ନିଜେ ଲେଖକ, ନିଜେ ଅଭିନେତା, ପୁଣି ନିଜେ ନିର୍ଦ୍ଦେଶକ। 
କଂଗ୍ରେସର ଏହି ବରିଷ୍ଠ ନେତା ତଥା ଟାଣୁଆ ବିଧାୟକ ତାରା ପ୍ରସାଦ ବାହିନୀପତି ଜଣେ ପକ୍କା କଂଗ୍ରେସି ହିସାବରେ ପରିଚିତ। ମନ୍ତ୍ରୀ ହେବା ପାଇଁ ମନ ଭିତରେ ତାଙ୍କର ଇଛାଟିଏ ରହିଛି। କିନ୍ତୁ କଂଗ୍ରେସରେ ରହିଲେ ମନ୍ତ୍ରୀ ହେବାର ସ୍ବପ୍ନ କେବେ ବି ପୁରଣ ହେବନି। କଂଗ୍ରେସର ଏବେ ଯୋଉ ଅବସ୍ଥା, ତାଙ୍କ ବିଧାୟକ ପଦ ବି ବିପଦରେ ପଡ଼ିଛି। ତେଣୁ ମଝିରେ ମଝିରେ ତାଙ୍କ ମନ BJD ଆଡ଼କୁ ଯାଇ ପୁଣି ଫେରି ଆସୁଛି। ଆଉ ଯାହାର ପ୍ରମାଣ ସେ ଦେଇ ଚାଲିଛନ୍ତି। 
କଂଗ୍ରେସର ନବଗ୍ରହ କୁହା ଯାଉଥିବା ନ ଜଣ ବିଧାୟକଙ୍କ ମଧ୍ୟରେ ସେ ଅନ୍ୟତମ। ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ଥାଉ ନା କାହିଁକି, ସେ କିନ୍ତୁ ନିଜସ୍ୱ ଭୋଟ ହାତେଇ ନିଅନ୍ତି। ରାଜ୍ୟରେ କଂଗ୍ରେସ ହାରୁଥିଲେ ବି ସେ କିନ୍ତୁ ଜିତୁଛନ୍ତି । ନିଜ ଅଞ୍ଚଳରେ ତାଙ୍କର ବେଶ୍ ପତିଆରା ରହିଛି। ଏମିତିକି କଂଗ୍ରେସ ଛାଡ଼ି ସେ ସ୍ଵାଧୀନ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢ଼ିଲେ ବି, ନିଶ୍ଚୟ ଜିତିବେ ବୋଲି ଆଲୋଚନା ହୁଏ। ଆଉ ଯଦି ସେ ଦଳ ପରିବର୍ତ୍ତନ କରି ବିଜେଡ଼ି କୁ ଆସନ୍ତି, ଆଉ ବିଧାୟକ ପ୍ରାର୍ଥୀ ହୁଅନ୍ତି, ତେବେ ବିଶାଳ ଭୋଟ ରେ ବିଜୟ ଲାଭ କରିବା ସୁନିଶ୍ଚିତ। ଆଉ ଏମିତି ସ୍ଥିତିରେ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିବା ମଧ୍ୟ ନିଶ୍ଚିତ। ଯାହା ଫଳରେ ତାରାଙ୍କ ସ୍ବପ୍ନ ପୂରଣ ହୋଇ ପାରିବ। ସେଇ କଥା ତାଙ୍କର ବେଳେ ବେଳେ ମନେ ପଡ଼ି ଯାଉଛି। ସେଇ ସମୟରେ ମନ ଟା BJD ପାଖକୁ ଉଡ଼ି ଯାଉଛି। ଆଉ ସେ ମୁଖ୍ୟମନ୍ତ୍ରୀ ଓ ସରକାର ଙ୍କୁ ପ୍ରଶଂସା କରି ବସୁଛନ୍ତି । ଆଉ ଯାହା ଏବେ ଗତ କିଛିଦିନ ତଳେ ଦେଖିବାକୁ ମିଳିଥିଲା। 
ଏକ ସରକାରୀ କାର୍ଯ୍ୟକ୍ରମ ରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଆଉ ସେହି ସଭାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନ ଖୋଲି ପ୍ରଶଂସା କରିଥିଲେ। ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି ନାରା ଦେଇଥିଲେ । ଆଉ ଲୋକଙ୍କୁ ମଧ୍ୟ ନବୀନ ବାବୁଙ୍କ ଜୟ ଜୟକାର କରିବା ପାଇଁ ଅନୁରୋଧ କରିଥିଲେ। ସେ ଅଞ୍ଚଳରେ ସରକାର କରିଥିବା ବିକାଶ ମୂଳକ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା ବି କରିଥିଲେ। 
ଏହା ଦେଖି ଖୋଦ ଶାସକ ଦଳର ନେତା ମାନେ ବି ହତବାକ ହୋଇ ଯାଇଥିଲେ। ତେଣୁ ସେ ନବୀନ ବାବୁଙ୍କ ମନ କିଣିବାକୁ ଚାହୁଁଛନ୍ତି ବୋଲି ଜଣା ପଡିଥିଲା। ନବୀନ ବାବୁ ଖୁସି ହେଲେ ତାଙ୍କୁ ବିଜେଡ଼ିକୁ ନେଇ ମନ୍ତ୍ରୀ କରିବେ, ଏମିତି ବୋଧେ ଆଶା ରହିଛି ତାରା ବାବୁଙ୍କର । ଆଉ ସେଥିପାଇଁ ଭରା ସଭାରେ ସେ ଏମିତି କରି ନଥାନ୍ତେ। 
ଏପଟେ ସେ ନିଜକୁ ପକ୍କା କଂଗ୍ରେସି କହୁଛନ୍ତି, କିନ୍ତୁ ସେପଟେ ବିଜେଡ଼ି କୁ ଟେକି ଧରୁଛନ୍ତି । ତେଣୁ ତାଙ୍କ ଦେହ ଟା ସିନା କଂଗ୍ରେସରେ ରହିଛି, ମନଟା କିନ୍ତୁ ବିଜେଡ଼ି ରେ ରହିଛି ବୋଲି, ସବୁଆଡେ ଆଲୋଚନା ଚାଲିଛି। କିନ୍ତୁ ତାରା ବାହିନୀପତି ଏ କଥାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ତେବେ ଆଗାମୀ ନିର୍ବାଚନ ପୂର୍ବରୁ ତାରା ପ୍ରସାଦ ବିଜେଡି କୁ ଯାଉଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇଯିବ।

Tags :- # news # tvp news9 # tvp # tvpnews

Share With