* ସଜ ସରିଥିଲା ପାଲିଙ୍କି, ହେଲେ ଉଠିଲା କୋକେଇ
* ଗୋଟିଏ ଦିନରେ ଝିଅରୁ ବୋହୂ, ପୁଣି ବୋହୂ ରୁ ହେଲେ ବିଧବା
* ବର ବେଶରେ ଆସି ଶବ ହୋଇ ଫେରିଲେ ଯୁବକ
* ବାହାଘର କୁ ଆସି ମଶାଣିକୁ ଗଲେ ବରଯାତ୍ରୀ
ଦୁନିଆରେ ରାତି ପାହିଲେ ଅନେକ ଲୋକ ମରନ୍ତି, କିଏ ବୟସ ହେବା ପରେ ମରେ ତ କିଏ ବୟସ ହେବା ଆଗରୁ ଦୁନିଆଁ ଛାଡ଼ି ଚାଲିଯାଏ। କିନ୍ତୁ ଏମିତି ଏକ ମରଣ ର କଥା ଶୁଣିଲେ ନିଜେ ମରଣ ବି ମନ ଦୁଃଖ କରିବ। ଆଉ ଏମିତି ଏକ ମରଣ ମରିଥିବା ଲୋକର ଶବ ଦେଖି ନିଜେ ମଶାଣି ବି କାନ୍ଦି ଉଠିବ।
ସେଦିନ ବରଯାତ୍ରୀ ମାନଙ୍କୁ ନଚେଇ ନଚେଇ କନିଆଁ ଘରେ ପହଞ୍ଚି ଗଲା ବର। ଫୁଲମାଳ ରେ ସଜା ହୋଇଥିବା ପାଲିଙ୍କି ରୁ ବାହାରି ସିଧା ଯାଇ ବେଦୀରେ ବସିଲା ବର। ଆଉ ନୁଆବୋହୁ ରୂପ ନେଇ ସରଗର ଚାନ୍ଦ ପରି ଝଲମଲ କରୁଥିବା କନିଆ ଆସି ବସିଲା ସେଇ ବେଦୀ ଉପରେ , ଠିକ୍ ବର ପାଖରେ। ବାଜି ଉଠିଲା ଶୁଭ ଶଙ୍ଖ ଆଉ ଶାହାନାଇ। ହାତଗଣ୍ଠି ପକେଇ ସାରି, ଯଥା ରାବଣସ୍ୟ ମନ୍ଦୋଦରୀ ମନ୍ତ୍ର ପାଠ ଆରମ୍ଭ କରିଦେଲେ ବ୍ରାହ୍ମଣ ମହାଶୟ। ସେତେବେଳକୁ ଓଢ଼ନି ଭିତରେ ନିଜକୁ ଲୁଚେଇ ରଖି , ନୂଆ ନୂଆ ସଂସାର କରିବା ପାଇଁ ସ୍ବପ୍ନ ଦେଖୁଥାଏ ନୁଆବୋହୂ। ନୂଆ ନୂଆ ସ୍ଵାମୀ କୁ ପ୍ରେମ କରି ସାରା ଜୀବନ ଖୁସିରେ ରହିବାକୁ ମନରେ କେତେ ଭାବନା ତାର ଉଙ୍କି ମାରୁଥାଏ। ଠିକ୍ ସେମିତି ସ୍ବପ୍ନ ଦେଖୁଥାଏ ପାଖରେ ବସିଥିବା ତାର ଭାବି ସ୍ଵାମୀ ବା ବାହା ହବାକୁ ଆସିଥିବା ବର। ବାହାଘର ପାଇଁ ସବୁକିଛି ସରି ଯାଇଥାଏ, କେବଳ ସିନ୍ଦୂର ପିନ୍ଧିବା ବାକି ଥାଏ। ସିନ୍ଦୂର ପିନ୍ଧାଇ ଦେଲେ ଉଭଉ ହୋଇଯିବେ ସ୍ଵାମୀ ସ୍ତ୍ରୀ। ଆଉ ସାତ ଜନମକୁ ହୋଇଯିବେ ଜୀବନ ସାଥି। ବ୍ରାହ୍ମଣ ମହାଶୟ ମନ୍ତ୍ର ଉଚ୍ଚାରଣ କରି ସାରିଲେ। ଦଶଦିଗ ପାଳ ଙ୍କୁ ସାକ୍ଷୀ ରଖି କନିଆଁ ମୁଣ୍ଡରେ ସିନ୍ଦୂର ଲଗାଇ ଦେଲା ବର। ଆଉ ବର ହାତରୁ ସିନ୍ଦୂର ପିନ୍ଧି , ପାଦ ତଳେ ମୁଣ୍ଡିଆ ମାରିବା ବେଳେ, ତଳେ ଖସି ପଡ଼ିଲା ବର। କେହି କିଛି ବୁଝିବା ଆଗରୁ ଭୂଇଁ ରେ ଆସି ମାଡ଼ ହେଲା ବରର ଶରୀର। ନିଜ ସ୍ବାମୀ କୁ ପ୍ରଥମ ଥର ପାଇଁ ମୁଣ୍ଡିଆ ଟିଏ ବି ମାରି ପାରିଲାନି ନୂଆ ବୋହୂ। କୁଣିଆ ମାନେ ଯେତେ ଡାକିଲେ ବି ବର ଆଉ ଉଠିଲାନି କି କାହା କଥା ଶୁଣିଲାନି। ବୁଝୁ ବୁଝୁ ଜଣା ପଡ଼ିଲା ବର ଆଉ ଏ ଦୁନିଆରେ ନାହିଁ। ହଠାତ ସମସ୍ତଙ୍କ ମୁଣ୍ଡ ବୁଲେଇ ଦେଲା, ନୂଆ ବୋହୂ କୁ ଚାରିଦିଗ ଅନ୍ଧାର ଦିଶିଲା। ହଠାତ କଣ ହୋଇଗଲା ବୋଲି କେହି କିଛି ବୁଝି ପାରିଲେ ନାହିଁ। ଏବେ ଏବେ ହସ ଖୁସୀରେ ଫାଟି ପଡ଼ୁଥିବା ପରିବେଶ ହଠାତ୍ କାନ୍ଦ ବୋବାଳି ରେ ବଦଳି ଗଲା। ପାଲିଙ୍କି ରେ ଆସିଥିବା ବର କୋକେଇ ରେ ବୁହା ହୋଇ ମଶାଣିକୁ ଗଲା। ଯଥା ରାବଣସ୍ୟ ମନ୍ଦୋଦରୀ ମନ୍ତ୍ର ପାଠ , ରାମ ନାମ ସତ୍ୟ ହେ ରେ ବଦଳି ଗଲା। ଗୋଟିଏ ଦିନରେ ଝିଅରୁ ନୂଆ ବୋହୂ, ଆଉ ବୋହୂ ରୁ ବିଧବା ହୋଇଗଲା କନ୍ୟା ଜଣଙ୍କ। ଆଉ ବାହାଘର କୁ ଆସି ମଶାଣିକୁ ଗଲେ ବରଯାତ୍ରୀ। ଏ ଦୁଃଖର କାହାଣୀ ଯିଏ ଶୁଣିବ ସିଏ କାନ୍ଦି ଉଠିବ।
ଏଭଳି ଏକ ମୃତ୍ୟୁ ଘଟିଛି ବିହାର ଭାଗଲପୁରରେ । ବେଦୀରେ ବିବାହ ଚାଲିଥିଲା । କନ୍ୟା ମଥାରେ ବର ସିନ୍ଦୁର ଦେଇଥିଲା । ଠିକ୍ ଏହାପରେ ଛାତିରେ ଯନ୍ତ୍ରଣା ହେବାରୁ ବେଦୀ ଉପରେ ହିଁ ବେହୋସ୍ ହୋଇଗଲା ବର । ତୁରନ୍ତ ତାଙ୍କୁ ହସ୍ପିଟାଲ ନେଉଥିବା ବାଟରେ ହିଁ ବରର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ କନ୍ୟା ମଧ୍ୟ ମାନସିକ ଆଘାତ ପାଇ ଚେତାଶୂନ୍ୟ ହୋଇ ରହିଥିବାବେଳେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଝାରଖଣ୍ଡର ସିଂହଭୂମର ବାସିନ୍ଦା ବିନୀତଙ୍କର ଭାଗଲପୁରରେ ରହୁଥିବା ଆୟୁଷିଙ୍କ ସହ ବିବାହ ହେଉଥିଲା ବେଳେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।