ତୁ ଏମିତି ଗାଡ଼ି ପଛରେ ଦଉଡ଼ନା ଲୋ ବୋଉ , ମଣିଷର ଏ ଗାଡ଼ି ଚକା ସହ ପାଦ ମେଲେଇ ତୁ କଣ ଦଉଡ଼ି ପାରିବୁ। ତୁ ମୋ ପାଇଁ ଜମା ଚିନ୍ତା କରିନା ଲୋ ବୋଉ, ତତେ ମୋ ରାଣ ରହିଲା, ତୁ ଆଉ ମୋ ପଛେ ପଛେ ଏମିତି ଦଉଡ଼ନା। ମୋତେ ସେମାନେ ଗାଡ଼ିରେ ବସାଇ କୁଆଡେ଼ ନେଇ ଯାଉଛନ୍ତି ବୋଲି ଭାବି ତୁ ଡରି ଯାଇଛୁ ନା, ମୋତେ କାଳେ ସବୁଦିନ ପାଇଁ ନେଇଯିବେ ବୋଲି ଭୟ କରୁଛୁ ନା, ସେଥିପାଇଁ ମୋତେ ନେଇଯାଉଥିବା ଗାଡ଼ି ପଛରେ ଗୋଡ଼େଇ ଗୋଡ଼େଇ ଆସୁଛୁ। ତୋ ଠାରୁ ମୋତେ ଦୂରେଇ ଦେବେ ବୋଲି ତୁ ମୋତେ ନେବା ପାଇଁ ଚେଷ୍ଟା କରୁଛୁ। ତୋ ପିଲା ହେଇ ବି ମୁଁ ସବୁ ବୁଝି ପାରୁଛି , କାହିଁକି ନା ତୁ ପରା ମୋ ବୋଉ। ମୋର ବି ତେତେ ଛାଡ଼ି ଯିବା ପାଇଁ ଟିକିଏ ବି ଇଚ୍ଛା ନାହିଁ ଲୋ ବୋଉ। କିନ୍ତୁ ମୁଁ ବା କଣ କରି ପାରିବି କହିଲୁ। ଏ ମଣିଷର ବଳ ଆଗରେ ଆମ ପଶୁ ମାନଙ୍କର ବଳ କଣ କାମ ଦବ। ସେମାନେ ମୋତେ ଯୁଆଡ଼େ ବି ନେଉଛନ୍ତି ନେଇ ଯାଆନ୍ତୁ, ମୋ ଭାଗ୍ୟରେ ଯାହା ଲେଖା ଥିବ, ସେୟା ତ ନିଶ୍ଚୟ ଘଟିବ। କିନ୍ତୁ ତୁ ଯେମିତି ଗାଡ଼ି ପଛରେ ଦଉଡ଼ି ଆସୁଛୁ ନା, ସତ କହୁଛି ଲୋ ବୋଉ, ମୁଁ ଆଉ ସମ୍ଭାଳି ପାରୁନି। ତୋର ଏ ବିକଳ ମୁଁହ କୁ ଦେଖି ମୋତେ ଭାରି କଷ୍ଟ ଲାଗୁଛି, ତୋର ଏମିତି ଅଵସ୍ଥା କୁ ଦେଖି ମୋ ଛାତି ଟା ଫାଟି ଯାଉଛି।
ମୋ ପାଇଁ ତୋ ନିଜକୁ ତୁ ଆଉ କଷ୍ଟ ଦେନି, ମୋ ପାଇଁ ଆଉ ବେଶୀ ଚିନ୍ତା କରେନି । ମୋତେ ସେମାନେ ନେଇ ଯାଉଛନ୍ତି ବୋଲି ଯେତିକି କଷ୍ଟ ଲାଗୁନି, ତୋର ଏମିତି ବିକଳ ଅବସ୍ଥା କୁ ଦେଖି ତା ଠାରୁ ଅଧିକ କଷ୍ଟ ଲାଗୁଛି। ମୁଁ ପଛେ ସେମାନଙ୍କ ହାତରେ ହସି ହସି ମରିଯିବି, କିନ୍ତୁ ତୋର ଏ ଦୁଃଖ ଦେଖି ଜମା ବଞ୍ଚି ପାରିବିନି।
ତତେ ଏତେ କଥା କହି ସାରିଲିଣି, ତତେ କଣ ସୁଭା ଯାଉନି, ମୋ ମନର କଥା କଣ ତୋର ଅନୁଭବ ହଉନି। ତୁ ଯଦି ଏମିତି ଗାଡ଼ି ପଛରେ ଦଉଡ଼ି ଆସିବୁ, ତାହାଲେ ସତ କହୁଛି ବୋଉ, ଏ ଚଳନ୍ତା ଗାଡ଼ି ଉପରୁ ମୁଁ ଡେଇଁ ପଡ଼ିବି।
ମୋତେ ନେଇ ଯାଉଥିବା ଲୋକ ମାନେ ଭଲ ଲୋକ ପରି ଲାଗୁଛନ୍ତି, ମୋ ଦେହ ଖରାପ ଅଛି ବୋଲି , ମୋତେ ଭଲ କରିବାକୁ ନେଉଛନ୍ତି। ମୁଁ ଭଲ ହେଇ ପୁଣି ଥରେ ତୋ ପାଖକୁ ଫେରି ଆସିବି। ଏଥର ତୁ ଫେରି ଯା ଲୋ ବୋଉ , ଏଥର ତୁ ଫେରି ଯା।
ଦେଖିଲେ ତ ଦର୍ଶକ ବନ୍ଧୁ, ନିଜ ବାଛୁରୀ ଛୁଆକୁ ଅନ୍ୟ କେହି ନେଇ ଯାଉଥିବାର ଦେଖି, ମା ଗାଈ କେମିତି ବିକଳ ହୋଇ ଗାଡ଼ି ପଛରେ ଦଉଡ଼ି ଯାଉଛି। ଖୋର୍ଦ୍ଧା ପୁବୁସାହି ଅଞ୍ଚଳର ତାପସ ସାମନ୍ତରାୟ ଙ୍କ ଗାଈ ଜଙ୍ଗଲ ଭିତରେ ଏଇ ବାଛୁରୀ କୁ ଜନ୍ମ ଦେବା ପରେ, ବାଛୁରୀ ଟି ଅସୁସ୍ଥ ହୋଇ ପଡିଲା। ତେଣୁ ମାଲିକ ନିଜ ଗାଡିରେ ବସେଇ ବାଛୁରୀ କୁ ଚିକିତ୍ସା କରିବା ପାଇଁ ନେଇଗଲେ। ଆଉ ଗାଡ଼ି ପଛେ ପଛେ ମା ଗାଈ ଟି ଗୋଡ଼େଇ ଗୋଡ଼େଇ ଚାଲିଛି। ତାର ବିକଳ ମୁଁହ କୁ ଦେଖିଲେ ଲାଗୁଛି, ତାର ଜୀବନ ଛାଡ଼ି ଯାଉଛି। Social media ରେ ଏ ଭିଡ଼ିଓ ଟି ଏବେ ଭାଇରାଲ ହେବାରେ ଲାଗିଛି। ମା ର ମମତା କେତେ ନିଜର ହୋଇପାରେ , ପଶୁ ମଧ୍ୟ ନିଜ ଛୁଆ ପାଇଁ କେମିତି ଜୀବନ ଦେଇପାରେ, ତାହା ଏ ଦୃଶ୍ୟ ପ୍ରମାଣିତ କରିଛି।
ଆମେ ମଧ୍ୟ ସେହି ମା ର ମମତା ଆଗରେ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରୁଛୁ।