କାହିଁକି ଅଧାଗଢ଼ା ହୋଇ ବସିଛନ୍ତି ମହାପ୍ରଭୁ ଜଗନ୍ନାଥ
କାହିଁକି ନାହିଁ ହାତ ଗୋଡ଼, କାହିଁକି ଚକା ଚକା ଆଖି
କେଉଁ ପାପର ଫଳ ଭୋଗୁଛନ୍ତି ମହାପ୍ରଭୁ ଜଗନ୍ନାଥ, କିଏ ଦେଇଥିଲା ଅଭିଶାପ
ନିଜକୁ ନିଜେ କାହିଁକି ଅଧାଗଢ଼ା କରିଦେଲେ ବିଶ୍ବର ଠାକୁର
ହଁ ଦର୍ଶକବନ୍ଧୁ..
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ବ ବ୍ରହ୍ମାଣ୍ଡର ଠାକୁର , ସାରା ଜଗତକୁ ଏତେ ସୁନ୍ଦର କରି ସୃଷ୍ଟି କରିଥିବା ପ୍ରଭୁ ନିଜେ କିନ୍ତୁ ଅଧାଗଢ଼ା ହୋଇ ବସିଛନ୍ତି। ଭକ୍ତ ମାନଙ୍କର ଦୁଃଖ ସୁଖ ବୁଖୁଥିବା ଭଗବାନ ନିଜେ କିନ୍ତୁ ଅଧା ଖଣ୍ଡିଆ ହାତ ଆଉ ଗୋଡ଼ ରେ ବସିଛନ୍ତି। ତେବେ କାହିଁକି ପ୍ରଭୁ ଜଗନ୍ନାଥ ଅଧାଗଢ଼ା ହୋଇ ରହିଗଲେ? କାହିଁକ ନିଜକୁ ନିଜେ ଏତେ ବଡ଼ ଦଣ୍ଡ ଦେଲେ ? କେଉଁ ଭୁଲ୍ କରିଥିଲେ ପ୍ରଭୁ ଜଗନ୍ନାଥ? କେଉଁ ପାପର ଫଳ ଭୋଗୁଛନ୍ତି କାଳିଆ ସାଆନ୍ତ। ଏମିତି ଅଧାଗଢ଼ା ହୋଇ ରହିବାକୁ କିଏ ଦେଇଥିଲା ଅଭିଶାପ।
ସେଥିପାଇଁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ , ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି ? କାହିଁକି ଦାରୁ ଦିଅଁଙ୍କର ନାହିଁ ପାପୁଲି କିମ୍ବା କାନ? ଏହା ସତ୍ୟ ଯେ, ବିଶ୍ୱକର୍ମା ଶ୍ରୀଜିଉଙ୍କ ମୂର୍ତ୍ତି ନିର୍ମାଣ କରୁଥିବା ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭୁଲ ଯୋଗୁଁ ସେ ଅଧାଗଢା ରହିଛନ୍ତି । ସର୍ତ୍ତ ରହିଥିବା ଦିନ ପୂର୍ବରୁ କବାଟ ଖୋଲିଦେବା ରୁ ଏପରି ହୋଇଗଲା ବୋଲି କୁହାଯାଏ। ତେବେ ଏହା ପଛରେ ଏକ ବିରାଟ ରହସ୍ୟ ରହିଛି ।
ରାମ ଅବତାରରେ ସେ ଦୁଇ ଜଣଙ୍କ ପାଖରୁ ଅଭିଶାପ ପାଇଥିଲେ । ତେଣୁ କଳି ଯୁଗରେ ସେ ଅଧାଗଢା ରହିବା ପାଇଁ ବଚନ ମଧ୍ୟ ଦେଇଥିଲେ । ରାମାୟଣ ଅନୁସାରେ, କିସ୍କିନ୍ଧା ରାଜ୍ୟର ରାଜା ବାଳିଙ୍କୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ବନ୍ଧୁ ସୁଗ୍ରୀବଙ୍କୁ ରାଜା ଭାବରେ ଅଭିଷେକ କରାଇଥିଲେ । ସେଥିପାଇଁ ବଳଶାଳୀ ବାଳିଙ୍କୁ କପଟ କରି ମାରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ବାଳି ଏବଂ ସୁଗ୍ରୀବ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏକ ଗଛ ଆଢୁଆଳରେ ରହି ଶ୍ରୀରାମ ବାଳିଙ୍କ ଉପରକୁ ଶର ମାରିଥିଲେ । ଯାହା ଫଳରେ ବାଳି ସେହିଠାରେ ହିଁ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଶ୍ରୀରାମଙ୍କୁ ଗୋଟିଏ ବର ମାଗିଥିଲେ । ସେ କହିଥିଲେ ଯେ, ହେ ଶ୍ରୀରାମ ଆପଣ ନାରାୟଣଙ୍କ ଅବତାର ହୋଇ ମଧ୍ୟ ମୋତେ କପଟ କରି ହତ୍ୟା କରିଛନ୍ତି । ତେଣୁ ମୁଁ ଆପଣଙ୍କୁ ଏତିକି ବର ମାଗୁଛି ଯେ ଆପଣ ଯେଉଁ ପାପୁଲିରେ ଶରବିଦ୍ଧ କରିଛନ୍ତି, ସେହି ହାତ ଆପଣଙ୍କର ନ ରହୁ ।
ବାଳିଙ୍କର ଏହି କଥା ଶୁଣି ଶ୍ରୀରାମ ମଧ୍ୟ କାନ୍ଦି ପକାଇଥିଲେ ଏବଂ କହିଥିଲେ, ତଥାସ୍ତୁ… ହେ ପରାକ୍ରମୀ ବାଳି, ଆପଣଙ୍କର ଏହି ଅଭିଶାପକୁ ମୁଁ ଏହି ଜନ୍ମରେ ପୂରଣ କରିପାରିବି ନାହିଁ । ତେଣୁ କଳିଯୁଗରେ ମୁଁ ଯେବେ ଜନ୍ମ ନେବି, ଆପଣଙ୍କୁ ଦେଇଥିବା ବର ଅନୁସାରେ ମୋର ହାତ ରହିବ ହେଲେ ପାପୁଲି ନଥିବ । ଅଧାଗଢା ହୋଇ ମୁଁ ଶ୍ରୀଜଗନ୍ନାଥ ରୂପରେ ଅବତାର ନେବି । ସେତେବେଳେ ମୋ ପାଖରେ ପାପୁଲି ନଥିବ କି ମୁଁ କାହାକୁ ଏପରି ଛଳନା କରି ହତ୍ୟା କରିପାରିବି ନାହିଁ । ଏତିକି ଶୁଣିବା ପରେ ବାଳି ଶ୍ରୀରାମଚନ୍ଦ୍ରଙ୍କ କୋଳରେ ପ୍ରାଣତ୍ୟାଗ କରିଥିଲେ । ତେଣୁ ତ୍ରେତୟା ଯୁଗରେ ବାଳିଙ୍କୁ ଦେଇଥିବା ବରଦାନ ଏବଂ ପ୍ରତିଜ୍ଞା ଯୋଗୁଁ କଳି ଯୁଗରେ ଅଧାଗଢା ହୋଇ ରହିଛନ୍ତି ପ୍ରଭୁ ନାରାୟଣଙ୍କ ଅବତାର ଶ୍ରୀଜଗନ୍ନାଥ।
ତେବେ ଏହି କାହାଣୀକୁ ନେଇ ମଧ୍ୟ ଅନେକ ଦ୍ୱନ୍ଦ ରହିଛି। ସେ ଯାହା ବି ହେଉ , ଅଧାଗଢ଼ା ହେଲେ ବି ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ତେଣୁ ଆସନ୍ତୁ ତାଙ୍କ ଭକ୍ତି ଭାବରେ ସମସ୍ତେ ଭିଜି ଯିବା।